Unknown

ତୁଳସୀ ମାଳା

ଚିନ୍ତାମଣି ମହାନ୍ତି

 

ବିଷୟ

୧ । ଭଜନ

ଜଣାଣ

ପ୍ରାର୍ଥନା

ପ୍ରାଣବାଣୀ

ପ୍ରଭାତ-ଅବକାଶ

ମାଗୁଣି

ଗୁହାରୀ

ଅଲଣା ଅଭିମାନ

ମନ ପ୍ରତି

୧୦ ହାଟ ବାହୁଡ଼ା

୧୧ ଷଡ଼ରଥୀ ସମର

୧୨ ଏକମେଵାହଦ୍ୱିତୀୟଂ

୧୩ ଉପସଂହାର

 

ଭଜନ

ଜୟ ଜୟ, ଜୟ ହେ ଜଗନ୍ନାଥ

ନୀଳାଚଳେ ବୋଲାଉଛ କାଳିଆ ସାଆନ୍ତ ।ପଦ।

ଦାରୁବ୍ରହ୍ମ ରୂପ ଧରି            ବଡ଼ ଦେଉଳେ ଶ୍ରୀହରି

ଅଛ ହେ ବିଜୟ କରି ଘେନି ଭଗ୍ନୀଭ୍ରାତ ।୧।

ମହାପ୍ରସାଦ ଛଳରେ ବାଣ୍ଟୁଛ କୈବଲ୍ୟ କରେ

ଅର୍ପୁଛ ଆଶ୍ୱାସ ନରେ ଟେକି ପ୍ରଭୁ ହାତ ।୨।

ମହାଚକ୍ର ସୁଦର୍ଶନ            କରିଣ ସଦା ଘୂର୍ଣ୍ଣନ

କରୁଛ ପାପ ଛେଦନ ହେ ଅନାଥନାଥ ।୩।

 

ପତିତପାବନ ବାନା            ଉଡ଼ାଉଛ ତୁମ୍ଭେ ସିନା

ଦୁର୍ବଳର ବଜ୍ରସେହ୍ନା ନାମ ତବ ସାର୍ଥ ।୪।

ଘେନି ସର୍ବ ନଦନଦୀ      ମହାନାଦେ ମହେଦାଧି

ତବ ପ୍ରେମ ନିରବଧି କରୁଛି ବିଖ୍ୟାତ ।୫।

 

ତୁମ୍ଭେ ଜଗତର ପ୍ରାଣ      ମନ ଆତ୍ମା ବୁଦ୍ଧି ଜ୍ଞାନ

ଆର୍ତ୍ତଜନେ କର ତ୍ରାଣ ଦେବ ରମାକାନ୍ତ ।୬।

ଚିନ୍ତାମଣି ଭବେ ଡରି      ମାଗେ କର ଯୋଡ଼ି କରି

ଶେଷକାଳେ ଦିଅ ହରି ସଦୟ ସାକ୍ଷାତେ ।୭।

 

ଜଣାଣ

ଜୁହାରି ପୟରେ            ଗୁହାରି କରୁଛି

ଘେନା ହେଉ ମୋ ଆରତି,

ନୀଳଗିରି-ଦରି-            ବିହାରୀ ହେ ହରି

ଜଗନ୍ନାଥ ଜଗତ୍ପତି ।୧।

 

ସର୍ବଘଟେ ପୂରି            ରହିଛ ସତତ

ସଙ୍ଗୀତ ରାଗିଣୀ ଛନ୍ଦେ,

ଗୁପ୍ତ ପୁଣି ପ୍ରାଣୀ            ପ୍ରତି ନିଃଶ୍ୱାସରେ

ଫୁଲର ମଧୁର ଗନ୍ଧେ ।୨।

 

ପ୍ରାଣ ମଧ୍ୟେ ଥାଇ            ମୋ ପ୍ରାଣବ୍ୟଥା କି

ପାରୁ ନାହିଁ ପ୍ରଭୁ ଜାଣି,

ହେଲିଣି ଘାବରା            ଜୀବନଟା ସାରା

ଘୂରି ଘୂରି ଚକ୍ରପାଣି ।୩।

 

ତେବେ ସୁଦ୍ଧା ମୋର            କର୍ମଫଳ ଭୋଗ

ନ ହେଲା ଅବଧି ଶେଷ,

ନାହିଁ କି ମୋ ଭାଗ୍ୟେ            ପ୍ରାଣର ବିଶ୍ରାମ

ଭୁଞ୍ଜୁଥିବି ସଦା କ୍ଲେଶ ।୪।

 

ଅକ୍ଷମ ବୋଲି ମୁଁ            ମାଗୁଅଛି ସିନା

ତବ ଆଶ୍ରା ବାରମ୍ବାର,

ନତୁବା କିପାଇଁ            ଭିକ୍ଷା ବୃତ୍ତି ଧରି

କରନ୍ତି ନିଜକୁ ଛାର ।୫।

 

ଜ୍ଞାନବନ୍ତ ଲୋକେ            ତରିଯାନ୍ତି ନିଜ

ଜ୍ଞାନ ଧର୍ମ ବଳେ ଭବୁଁ,

ମାତ୍ର ତାରିପାରେ            ଅଜ୍ଞାନକୁ ଯେହୁ

ସେ ସିନା ପ୍ରକୃତ ପ୍ରଭୁ ।୬।

 

ଆଶାର ବନ୍ଧନ            ଯାଇଅଛି ଛିଡ଼ି

ଅସାହା ଏବେ ମୋ ପ୍ରାଣ,

ଟେକିନିଅ ପ୍ରଭୁ            ଦୀନ ଭିକାରୀକୁ

ପ୍ରେମ-ସୁଧା କର ଦାନ ।୭।

 

ଭକ୍ତି ବଦଳରେ            ବିରକ୍ତି ଯେ ଠାବେ

ମଙ୍ଗଳ ତହିଁ ମରଣ,

ପୌରୁଷ ହରାଇ            କଦର୍ଥନ ହୋଇ

ଜୀଇବାର କି କାରଣ ।୮।

 

ଯେଉଁ ଶକ୍ତି ତୁମ୍ଭେ            ଦେଇଥିଲ ହରି

ଗଲାଣି ତ ତାହା ସରି

ମାତ୍ର ଜୀବନ ତ            ସରିଯାଇ ନାହିଁ

ଚାଲିଛି ସେ ପୂର୍ବ ପରି ।୯।

 

ଆତ୍ମଶକ୍ତି ବିନା            ଆତ୍ମରକ୍ଷା ଆଉ

କରିବାକୁ କେ ରାଜନ,

କାହା ବଳେ ମାତି            ହେବି ନାଚି କୁଦି

ଘେନି ବିଫଳ ଜୀବନ ।୧୦।

 

ପ୍ରାଣ ବଡ଼ ପିତା            ମରଣ ମଧୁର

ପାବନ ସ୍ୱଚ୍ଛ ନିର୍ମଳ,

ସଂସାର ଜଞ୍ଜାଳ-            ବିଦଗ୍‌ଧ ଆତ୍ମାକୁ

କରିଦିଏ ସେ ଶୀତଳ ।୧୧।

 

ଜୀବନ-ଝରଣା            ଶୁଖି ଆସୁଅଛି

ମରିଯିବ ଦିନେ ଧାର,

ଅସହାୟ ଜନେ            ସାହା ହୋଇ କର

ଭବ-ମରୁଭୂମି ପାର ।୧୨।

 

ଜୀବନର ସନ୍ଧ୍ୟା            ଘୋଟି ଆସିଲାଣି

ଗ୍ରାସିବ ଏବେ ଅନ୍ଧାର,

ସ୍ଥାନ ଦେଇ ରଖ            ଶ୍ରୀଚରଣ ତଳେ

ହେ କରୁଣା-ଅକୁପାର ।୧୩।

 

ଜନ୍ମ ଦେବେ ଯେବେ            କର ତେବେ ପ୍ରଭୁ

ଦରିଦ୍ରକୁଳେ ସମ୍ଭୂତ,

ଦାରିଦ୍ର୍ୟ-ଅନଳେ            ଝାସ ଦେଇ ଆତ୍ମା

ହୁଏ ସିନା ଶୁଦ୍ଧପୂତ ।୧୪।

 

ନତୁବା କର ହେ            କଦଳୀପଟୁଆ

ସଂସାରେ ହେୟ ଅସାର,

ଫୁଲ ସଙ୍ଗେ ତବ            ଶ୍ରୀଅଙ୍ଗ ପରଶି

ଧନ୍ୟ ହେବି ସାରାଚ୍‌ସାର ।୧୫।

 

ଅଥବା ଦୀପର            ନିର୍ମଳ ଶଳିତା

କର ମୋତେ ପୁଣ୍ୟଶ୍ଲୋକ,

ନିଜେ ପୋଡ଼ି ହୋଇ            ଅନ୍ୟକୁ ଯେପରି

ଦେଖାଇବି ଶୁଭ୍ରାଲୋକ ।୧୬।

 

ଉତ୍ସାହ ଉଦ୍ୟମ            ଶକ୍ତି ଦାନ୍ତ ଅନ୍ତ

ଗଲାଣି ତ ସବୁ ଚାଲି,

ଫଟା ତୋଲଖଣ୍ଡ            ବାଜୁ ନାହି ଆଉ

ପଡ଼ିରହିଅଛି ଖାଲି ।୧୭।

 

ସବୁ ଯାଇଅଛି            ମାତ୍ର ଯାଇ ନାହିଁ

କାମନା-ରାକ୍ଷସୀ ଏକା,

ସେହି ସିନା ଦେହେ            ବସାଇ ଦେଉଛି

ତତଲା ଲୁହାର ଚେଙ୍କା ।୧୮।

 

କ୍ଷୟ ନାହିଁ ତାର            ମାତ୍ର ବୃଦ୍ଧି ଅଛି

ବର୍ଦ୍ଧିକ ମଧ୍ୟେ ସେ ବଛା,

ସଯତ୍ନରୋପିତ            ବୃକ୍ଷଠାରୁ ବେଶୀ

ବଢ଼ଇ ସିନା ଅଗଛା ।୧୯।

 

ପାରିକର ପ୍ରଭୁ            ସେ ଦୁଷ୍ଟା ପାଲରୁ

ଯାଉ ସେ ପାମରୀ ମରି,

ଜରାଜୀର୍ଣ୍ଣ କ୍ଷୀଣ            ଜୀବନ-ବିନ୍ଦୁଟି

ଦିଅ ସୁନିର୍ମଳ କରି ।୨୦।

 

 

ପ୍ରାର୍ଥନା

[କଳହଂସକେଦାର]

-୧-

ହେ ପ୍ରଭୁ ଜଗନ୍ନାଥ ଜଗତବନ୍ଧୁ

ଜୀର୍ଣ୍ଣ ଜୀବନ-ଭାର ଉତାର ବନ୍ଧୁ ଯେ

ଶକ୍ତି ନାହିଁ ସେ ଗୁରୁ ଭାର ବହନେ,

ହରିନେଲାଣି ଜରା ସେ ଶକ୍ତି-ଧନେ ଯେ ।

 

-୨-

ଓହଳି ପଡ଼ିଲାଣି ଶରୀର ଚର୍ମ,

ଆସୁଛି ଊଣା ହୋଇ ଇନ୍ଦ୍ରିୟ ଧର୍ମ ଯେ,

ନିଷ୍ପଭ୍ର ନେତ୍ର-ତାରା ରଙ୍ଗ ଫାପସା,

ଦିନେ କୁହୁଡ଼ି ପ୍ରାୟ ଦିଶେ ଝାପସା ଯେ ।

 

-୩-

ଝଡ଼ିଗଲାଣି ଦାନ୍ତ, କଟି ଆନତ,

ମୁଖ ନାସିକା ପଥେ ଶ୍ଲେଷ୍ମା ନିର୍ଗତ ଯେ,

କେଡ଼େ ବୀଭତ୍ସ ଦିଶେ ତନୁ ପୁରୁଣା,

ଲାଗଇ ନିଜ ଦେହ ନିଜକୁ ଘୃଣା ଯେ ।

 

-୪-

ଏଡ଼େ ନିଛୁଣା ଯେବେ ମାନବ ଦେହ,

କିପାଁ କରନ୍ତି ଜନେ ତାହାକୁ ସ୍ନେହ ଯେ,

ମାଟିକୁ ସୁନା ମଣି କରନ୍ତି ଭ୍ରମ,

ଆଦ୍ୟେ ସୁନ୍ଦର ଶେଷେ ଅମନୋରମ ଯେ ।

 

-୫-

ପ୍ରାଣ ମଧ୍ୟରେ ଥିଲା ଗୁପ୍ତ ଦେବତା,

ଉତ୍ସାହ ନାମଧାରୀ ବିଶ୍ୱଜିଣନ୍ତା ଯେ,

ଗଲାଣି ଛାଡ଼ି ସେହୁ ଚାଲି ଅନ୍ୟତ୍ର,

ଅଚଳ ତାହା ବିନା ଜୀବନ-ଯନ୍ତ୍ର ଯେ ।

 

-୬-

ଛଡ଼ାଇ ନେଲେଣି ତ ମୋଠାରୁ ସବୁ,

ମିଛେ ଏ ପିଣ୍ଡେ କିପାଁ ରଖିଛ ପ୍ରଭୁ ଯେ,

ଏତିକି ଭିକ୍ଷା ପଦେ ହେ ଜଗୁସାଇଁ,

ମାଟିରେ ମାଟି ଘାଟ ଦିଅ ମିଶାଇ ଯେ ।

 

-୭-

ବିଚିତ୍ର ଏ ସଂସାର ଠାଣି ଚେହେରା,

କଳ୍ପନା ତିଆରି ସେ ସ୍ୱପ୍ନରେ ଘେରା ଯେ,

କ୍ଷଣ କ୍ଷଣକେ ଆନ ଭାବ ତାହାର,

ତା ହାତୁଁ କର ପ୍ରଭୁ ଦୀନେ ଉଦ୍ଧାର ଯେ ।

 

 

ପ୍ରାଣବାଣୀ

[ରାଗ-ଶଙ୍କରାଭରଣ]

[୧]

ଶଙ୍ଖକ୍ଷେତ୍ରବାସୀ ପ୍ରଭୁ ଶଙ୍ଖଚକ୍ରଧାରୀ,

କାନ ଡେରି ଶୁଣୁଅଛି ଜଗତ ଗୁହାରି,

ବହି ଜଗନ୍ନାଥ ନାମ,

ଆକର୍ଷୁଛ ଜଗତର ଭକ୍ତି ଅନୂଯାମ ।

 

[୨]

ମହାମନ୍ତ୍ର ମହୋଦଧି ଜପି ରୁଦ୍ରନାଦେ,

ଭକ୍ତିରେ ଦେଉଛି ଧୋଇ ତବ ପୁଣ୍ୟପାଦେ,

ଯୋଡ଼ି ବହୁ ବୀଚି-ହାତ,

ଉଚ୍ଚାରୁଛି ଜୟ ଜୟ ଜୟ ଜଗନ୍ନାଥ ।

 

[୩]

ଚକା ବଇଠିରେ ବିଜେ ପ୍ରଭୁ ଚକାଡ଼ୋଳା,

କି ଶୀତଳ ଦୃଷ୍ଟି ତବ ସ୍ନେହ-ମଧୁବୋଳା,

କେଡ଼େ ଚାରୁ କୃଷ୍ଣକାନ୍ତି,

ଢାଳୁଛି ଜଗତ ପ୍ରାଣେ ପ୍ରେମ ଶୁଭ ଶାନ୍ତି ।

 

[୪]
ସେ ଶାନ୍ତି-କଣିକା ଲାଗି ଆଜି ମୁଁ ଭିକାରୀ,

ବିଶ୍ୱ କୋଳାହଳେ ପ୍ରାଣ ଗଲାଣି ମୋ ଘାରି,

ବଡ଼ ଦୁଷ୍ଟ ଏ ସଂସାର,

ସଂସାର ନୁହେଁ ଏ ନିଶ୍ଚେ ଅସାରୁ ଅସାର

 

[୫]

ବୁଝିଲିଣି ନିଜ ଭ୍ରମ ଚିହ୍ନିଲିଣି ଭବେ,

ମଣୁଥିଲି ମହୋତ୍ସବ ଭୀଷଣ ଆହବେ,

ଅହୋ କି ଅଦ୍ଭୁତ ଛଳ,

କରକା ଭିତରେ ଥିଲା ପ୍ରଚଣ୍ଡ ଅନଳ ।

 

[୬]

ଏଣିକି ଛାନିଆ ବଡ଼ ଲାଗୁଛି ନିରତେ,

ଦିନକ ଯୁଗକ ସରି ହେଉଅଛି ପ୍ରତେ,

ପ୍ରାଣ ହେଉଛି ଉଚ୍ଚାଟ,

ବାହାରିଯିବାକୁ ମାତ୍ର ପାଉ ନାହିଁ ବାଟ ।

 

[୭]

ମୁଁ ସିନା କୁପୁତ୍ର କିନ୍ତୁ ତୁମ୍ଭେ ତ ସୁପିତା,

କିପାଇଁ ନିଭାଉ ନାହିଁ ହୃଦୁ ତୀବ୍ର ଜିତା,

ପିତୃପଦ ତାକୁ ମାନେ,

ଅଧିକ ଦୟା ଯେ କରେ ଅକ୍ଷମ ସନ୍ତାନେ ।

 

[୮]

ତୁମ୍ଭେ ତ ଜଗତପିତା ଏହା ଥିବ ଜାଣି,

ପିତୃଗଣେ ତୁମ୍ଭଙ୍କୁ କେ ସରି ଚକ୍ରପାଣି,

ଶୁଣି ମୋ ଆତୁର ବାଣୀ,

ଦୋଷ ଥିଲେ କ୍ଷମାକର କ୍ଷମାପାତ୍ର ଜାଣି ।

 

[୯]

ଧରୁଅଛି ତୁମ୍ଭଙ୍କୁ ମୁଁ ଯେତିକି ଆକଟି,

ତେତିକି ଦୁରକୁ ତୁମ୍ଭେ ଦେଉଅଛ ଛାଟି,

ଥରେ ବିଚାର ଅନ୍ତରେ,

ହେଲା କି ସୁନ୍ଦର ଏହା ସୁପିତା ପକ୍ଷରେ ।

 

[୧୦]

ଯେତେ ଥର ତଡ଼ିଦେବ ବିରକ୍ତି ପ୍ରକାଶି,

ତେତେ ଥର ଆଉଜିବି ସେ ପୟରେ ଆସି,

ବେଶି କହିବି ବା କିସ,

ସେ ବିରକ୍ତି ମୋ ଭାଗ୍ୟେ ତ ମଙ୍ଗଳ ଆଶିଷ ।

 

ପ୍ରଭାତ ଅବକାଶ

(୧)

ପାହିଲାଣି, ମଧୁର ରଜନୀ, ହେ ଯଦୁମଣି !

ଦିଶିଲାଣି ଉଷାମୁଖ,

ରାବନ୍ତି କାକ ଡାହୁକ,

ଗାଉଛି ପ୍ରଭାତୀ ଶୁକ,

ଉଠ ଉଠ ପଦ୍ମମୁଖ,

ମାତୃ-ଅଙ୍କ, ତେଜି ବେଙ୍କଠାଣି, ହେ ଯଦୁମଣି !

 

(୨)

କେତେ ୠଷି ଯୋଗୀ ଯତି,

ଦ୍ୱାରେ ଉଭା ହୋଇଛନ୍ତି

ପୁଣି ସର୍ବ ଗୋପୀପନ୍ତି,

ତୁମ୍ଭ ଦର୍ଶନ ଇଚ୍ଛନ୍ତି,

ଧରି ସର, ଅଧାମ ଲବଣୀ, ହେ ଯଦୁମଣି !

 

(୩)

ଶ୍ୟାମଳୀ, କମଳୀ, ଧଳୀ

କାଳୀ, କାଞ୍ଚ, କୁଞ୍ଜଗଳି,

ଧେନୁ ଡାକନ୍ତି ହମ୍ବାଳି,

ଉଠ ଉଠ ବନମାଳି,

ବିଜେ କର, ବନେ ନୀଳମଣି, ହେ ଯଦୁମଣି !

 

(୪)

ସୂଦାମାଦି ସଖାଗଣ,

ଧରିଣ ଛତା ପାଞ୍ଚଣ,

ଡାକନ୍ତି ଆସ ବହନ,

ହେ କହ୍ନାଇ ଯିବା ବନ,

ସର୍ବେ ମିଳି, ଧେନୁ ବତ୍ସା ଘେନି, ହେ ଯଦୁମଣି !

 

(୫)

ଏକ ବୃଦ୍ଧ ବ୍ରହ୍ମଚାରୀ

ପ୍ରାଙ୍ଗଣେ ଛନ୍ତି ଉଭାରି,

ହଂସେ ଆରୋହଣ କରି,

କରେ କମଣ୍ଡଳୁ ଧରି,

ଚାରିମୁଖେ, ଚୌବେଦ ବଖାଣି, ହେ ଯଦୁମଣି !

 

(୬)

ପୁଣି ଏକ ଜଟାଧାରୀ,

ଚଢ଼ି ମହା ବୃଷୋପରି,

ଜଟା ଭେଦି ଗଙ୍ଗାବାରି,

ବିନ୍ଦୁ ବିନ୍ଦୁ ପଡ଼େ ଝରି,

ପଞ୍ଚମୁଖେ, ହରେକୃଷ୍ଣ ଭଣି, ହେ ଯଦୁମଣି !

 

(୭)

ଆଉ ଏକ ବ୍ରହ୍ମୠଷି,

ମନ-ବାହନରେ ବସି,

ତବ ପ୍ରେମ-ରସେ ରସି,

ଜପୁଛନ୍ତି ବ୍ରହ୍ମରାଶି,

ଦିଅ ତାଙ୍କୁ ଦେଖା ଚକ୍ରପାଣି, ହେ ଯଦୁମଣି !

 

(୮)

କହେ ଦୀନ ଚିନ୍ତାମଣି,

ଶିରେ ଯୋଡ଼ି ବେନି ପାଣି,

କୃପା କର କୃପାଖଣି,

ଏତିକି ପଦେ ମାଗୁଣି,

ଯାଉ ଜୀବ ତୁମ୍ଭ ନାମ ଗୁଣି, ହେ ଯଦୁମଣି !

 

ମାଗୁଣି

-ରାମକେରୀ-

ଜଗନ୍ନାଥ ଜଗବନ୍ଧୁ ହେ

ଦାରୁବ୍ରହ୍ମ ପ୍ରତିମା

ବିଖ୍ୟାତ ଜଗତେ ତୁମ୍ଭର

ମହାଦାନ ମହିମା ।

 

ଯେ ଯାହା ମାଗୁଛି କରୁଛ

ତାର ବାଞ୍ଛା ପୁରଣ,

ମୋ ଭାଗ୍ୟକୁ ଏକା କିପାଇଁ

ହେଇ ଏଡ଼େ କୃପଣ ।

 

ମାଗୁ ତ ନାହିଁ ମୁଁ ତୁମ୍ଭଙ୍କୁ

ଧନ, ଜନ, ଗୌରବ,

ମାଗୁ ନାହିଁ ଆୟୁ, ପ୍ରଧାନ୍ୟ

କିମ୍ବା ସ୍ୱାସ୍ଥ୍ୟ-ବିଭବ ।

 

ମାଗୁଅଛି ଖାଲି ଏତିକି

ମୋର ଚର୍ମ ନୟନ-

ସବୁ ସ୍ଥାନେ ସଦେ ତୁମ୍ଭରି

ରୂପ କରୁ ଦର୍ଶନ ।

 

କର୍ଣ୍ଣ ଶୁଣ ତୁମ୍ଭ ମହିମା-

ଘୋଷୀ ପୁଣ୍ୟ ପୁରାଣ,

ନାସା କରୁ ବାସୀ ତୁଳସୀ

ଛଡ଼ା ଫୁଲ ଆଘ୍ରାଣ ।

 

ତବ ପୁଣ୍ୟପାଦ ସେବାରେ

ଲାଗୁ ଏ ବେନି ହସ୍ତ,

ଉଚ୍ଚାରୁ ରସନା ହରି ହେ

ତୁମ୍ଭ ନାମ ସତତ ।

କିସ ଜଣାଇବି ଛାମୁରେ

ତୀବ୍ର ମର୍ମ ବେଦନା,

କାନ୍ଦି ମାଡ଼େ ତାହା ସ୍ମରଣେ

ଫାଟିଯାଏ ମୂର୍ଦ୍ଧନା।

 

କାନ୍ଦିଲେ ହାଲୁକା ହୁଅନ୍ତା

ଦୁଃଖ-ଦୁର୍ବହ ପ୍ରାଣ,

ମାତ୍ର ପାଉ ନାହିଁ କାନ୍ଦିବା-

ଯୋଗ୍ୟ ନିର୍ଜ୍ଜନ ସ୍ଥାନ ।

 

ଅକିଞ୍ଚନେ କୃପା ପ୍ରଦାନେ

ନୁହ ବିମୁଖ ହରି,

ସିନ୍ଧୁ ଏ ତ ଅଛି, ବିନ୍ଦୁଏ

ଦେଲେ ଯିବ କି ସରି ।

 

ପର ନୁହେଁ ପ୍ରଭୁ ମୁଁ ପରା

ତୁମ୍ଭ କିଣା କିଙ୍କର,

ଭୟଙ୍କର ଭବ-କାରାରୁ

ଦେବ ଖରେ ଉଦ୍ଧର।

 

ଉଡ଼ିଯାଉ ବଦ୍ଧ ବିହଙ୍ଗ

ଖେଳୁ ଆକାଶେ ବୁଲି,

ଛିଣ୍ଡାଇଦିଅ ତା ପୟରୁ,

ଦୃଢ଼ ବଜ୍ର ଶିକୁଳି।

 

ସ୍ୱାଧୀନତା ତାର ବାଞ୍ଛିତ

ସେ ଯେ ଚିର ସ୍ୱାଧୀନ,

ଦୁଷ୍ଟା ମାୟା ସହବାସରେ

ସିନା ହୋଇଛି ହୀନ ।

 

ଗୁହାରୀ

ଜପ ମନ ଜଗନ୍ନାଥ ଚତୁରକ୍ଷର,

ସେହି ଏକା ଜଗତର ମୁକ୍ତି ମନ୍ତର ।ପଦ।

ସେହି ଜଳ ସେହି ସ୍ଥଳ ସେହି ବୃକ୍ଷ ସେହି ଫଳ

ସେହି ଶକ୍ତି ସେହି ବଳ ଏ ଜଗତର ।୧।

 

ସେହି ସତ୍ୟ ସେହି ଶୁଭ ସେହି ନିତ୍ୟ ସେହି ଧ୍ରୁବ

ପୁଣି ପ୍ରାଣ ପିଣ୍ଡ ଉଭ ସେ ନିରୀଶ୍ୱର ।୨।

ଯେତେକ ଦେହୀ ଅଦେହୀ ସବୁ ସିନା ଏକା ସେହି

ତାଙ୍କ ବିନା ନାହିଁ କେହି ଭବେ ଅପର ।୩।

 

ଏ ସଂସାର ପର ଘର ସମସ୍ତେ ଏଠାରେ ପର

ନିଜେ ବି ନୋହୁ ନିଜର ଜାଣ ନିଜର ।୪।

ଡ଼ାକ ତୁ ହୋଇ ଆତୁର ହେ ପ୍ରଭୁ ବଡ଼ଠାକୁର

ଭବ ଭୟ କରି ଦୁର ତାର ସତ୍ୱର ।୫।

 

ଅଲଣା ଅଭିମାନ

ହରି ହରି ବୋଲି            ନ ଡାକିବି ଆଉ

ନ ହରିଲ ଯେବେ ଦୁଃଖ ମୋହର,

ଅଧିକରେ ପୁଣି            ଦେଉଅଛି ବୋଳି

କଟା ଘା ଉପରେ ଲୁଣ ବେସର ।୧।

 

ପ୍ରଭୁ ହୋଇ ଯେବ            ହଟ ଲଗାଇବ

କା ଆଗେ କରିବି ଗୁହାରି ହାୟ,

ତୁମ୍ଭ ଉପରେ ବା            କି ପ୍ରଭୁ ଅଛି

କାଟିଦେବ ତୁମ୍ଭ ଅକଟା ରାୟ ।୨।

 

ନ ଶୁଣିଲ ଯେବେ            ଅରକ୍ଷିତ ଡାକ

ଆଉ ବା ତୁମ୍ଭଙ୍କୁ ଡାକିବି କିଆଁ ?

ହାଟ ବଜାରରେ            ଗାଇ ବୁଲିବି ମୁଁ

ବଡ଼ ଦଗାଦାର ହରି ହଟିଆ ।୩।

 

ତେତେବେଳେ ତୁମ୍ଭେ      ମୁହଁ ଲୁଚାଇବ

କହ ଭଲା କେଉଁଠାରେ ମୁଗାରି ?

ନୋହୁଣୁ ସେ ଲଜ୍ଜା            ଦେଉଛି ଚେତାଇ

କାନ ଡେରି ଶୁଣ ମୋର ଗୁହାରି ।୪।

 

ହସ ନାହିଁ କିମ୍ବା            ରାଗ ନାହିଁ ହରି

ଶୁଣି ଏ ସଦର୍ପ ଉକ୍ତି ମୋହର,

ପ୍ରଭୁଙ୍କ ଛାମୁରେ            ଭୃତ୍ୟ ଅଭିମାନ

ଦିଶିବ କି ପ୍ରଭୁ ଅଣସୁନ୍ଦର ।୫।

 

ସେବକ ଯଦ୍ୟପି            ପ୍ରଭୁ ପାଦେ ଅଳି

ନ କରିବ ଡରି ମରି ହେ ହରି,

ଜୀବନର ଦୁଃଖ-            ତାପ ତେବେ ତାର

ଦୂର ହେବ ଭଲା କହ କିପରି ?୬।

 

ଦୀନହୀନ ଭୃତ୍ୟ            ଡାକ ପ୍ରତି ଏବେ

ଦିବ୍ୟ ଅବଧାନ ହେଉ ତୁମ୍ଭର,

ଚିନ୍ତାମଣି କହେ            ବ୍ୟର୍ଥ ନୋହୁ ଯେହ୍ନେ

ମୋ ଅଲଣା ଅଭିମାନନିକର ।୭।

 

 

ମନପ୍ରତି

ପ୍ରାଣର ଲକ୍ଷ୍ୟ ହୁଡ଼ି

 

ଶୋଇଛୁ ମନ,

କାହା ବଳରେ ତୋର

 

ଏ ଟାଣପଣ,

ଆଗ ପଛକୁ କିଛି

 

ନାହିଁ ତ ଦକା,

ପଛରୁ କାଳ ଆସି

 

ମାରୁଛି ଧକା ।୧।

 

ଏବେ ରେ ଥରେ ଭଲା

 

ଫେଡ଼ି ନେତ୍ରକୁ,

ପଛକୁ ଚାହିଁ ଦେଖ

 

କର୍ମକ୍ଷେତ୍ରକୁ,

ତୋହର ବୋଲି ତହିଁ

 

ଅଛି କି କିଛି,

କେଉଁ ମୁଖରେ ଛାତି

 

ଫୁଲାଉ ଛି ଛି ।୨।

 

ମାଗିବ ଚିତ୍ରଗୁପ୍ତ

 

କର୍ମ ହିସାବ,

ଦେବୁ ତୁ ତେତେବେଳେ

 

କିସ ଜାବବ,

ଖାଲି ହାତେ ତା’ ପାଶେ

 

ଗଲେ ରେ ଭାଇ,

ମରେ ସେ ରାଢ଼ ରାଗେ

 

ଜଟା ଛିଣ୍ଡାଇ ।୩।

 

ଟିକିଏ ଚକ୍ଷୁଲଜ୍ଜା

 

ନ କରେ ସେ ତ,

ପିଟେ ନିର୍ଘାତେ ଧରି

 

ଯାଉଁଳି ବେତ,

ରାଜା ପରଜା କିମ୍ବା

 

ମୂର୍ଖ ପଣ୍ଡିତ,

ସଭିଙ୍କି ସମଭାବେ

 

କରେ ଦଣ୍ଡିତ ।୪।

 

ନ କର ହେଳା ଆଉ

 

ରେ ପରପଞ୍ଚ,

ଅନ୍ତତଃ ସଞ୍ଚି ରଖ

 

ବାଟ ଖରଚ,

ନ କରିପାରୁ ଯେବେ

 

ଅଧିକ ଠୁଳ,

ମୁଠାଏ ହେଲେ ବାନ୍ଧି

 

ଚୂଡ଼ା ଚାଉଳ ।୫।

 

ଦିନେ ତ ହେଲୁ ନାହିଁ

 

ଦୁର୍ବଳ ସାହା,

ଉଚ୍ଚାରି ନାହୁଁ ଦୁଃଖୀ

 

ଦୁଃଖରେ ଆହା,

ଦେଇ ତ ନାହୁଁ ହାତ

 

ଟେକି ମୁଠାଏ,

ତରିବୁ ବୈତରଣୀ

 

କେଉଁ ଉପାୟେ ।୬।

 

ଦେଇଛୁ କି ରେ ମନ

 

କେବେ ସନ୍ତୋଷେ,

ଭୋକୀ ଶୋଷୀ ତୁଣ୍ଡରେ

 

ତୋରାଣି ପୋଷେ,

ଆତୁର ରୋଗିଶଯ୍ୟା

 

ପାଖରେ ଥାଇ,

ସେବାରେ ଦେଇଛୁ କି

 

ରାତି ପୁହାଇ ।୭।

 

ସଂସାରେ ଅର୍ଜିଅଛୁ

 

ବହୁତ ଧନ

ମାତ୍ର ନ କଲୁ କେବେ

 

ଧର୍ମ ଅର୍ଜନ,

ଅନ୍ତିମେ ଧର୍ମ ବିନା

 

କେ ହେବ ସାହା,

ବଡ଼ ଦୁର୍ଗମ ପର-

 

ଲୋକର ରାହା ।୮।

 

ନ କରୁ ଦାନ ଯେବେ

 

କି କାର୍ଯ୍ୟ ଧନେ,

ଦାନେ ପବିତ୍ର ଧନ,

 

ହେଳ ତୁ ମନେ,

ଛଞ୍ଚିଛୁ ନ ଦେଇ ବା

 

ନ ଖାଇ ପେଟେ,

ଆଖି ବୁଜିଲେ ବାଣ୍ଟି

 

ନେବେ ତା ଥେଣ୍ଟେ ।୯।

 

ଆତ୍ମୀୟ ପରିବାର

 

କହୁ ଯାହାକୁ,

ଗୁପ୍ତ ଖଣ୍ଟ ସେ, ଛଳେ

 

ବାଢ଼ନ୍ତି କାକୁ,

ମଡ଼ାଦେହରୁ ଦଢ଼-

 

ଲୁଗା ଖଣ୍ଡକ

କାଢ଼ି ରଖିବେ ସେହି

 

ଭଣ୍ଡ ଲୁବ୍‌ଧକ ।୧୦।

 

ଦାରା ସୁତ ସୋଦର

 

ସକଳେ ପର,

ନିଜର ଦେହ ବି ତ

 

ନୁହେଁ ନିଜର ।

ଏକାକୀ ଯିବୁ ତୋର

 

ସଙ୍ଗୀ କେ ଅଛି,

ମାଟିର ଦେହ ଯିବ

 

ମାଟିରେ ପତି ।୧୧।

 

ରେ ମନ ଦେଖୁ ନାହୁଁ

 

କିପାଁ ତୁ ଥରେ,

ଛଅଟା ଚୋର ପଶି

 

ନିତି ତୋ ଘରେ,

ଯା’ କିଛି ପୁଞ୍ଜି ପଟା

 

ଥିଲା ତୋହର,

ବହି ନେଲେଣି ସବୁ

 

ଦୁଷ୍ଟ ପାମର ।୧୨।

 

ହରାଇ ସର୍ବସ୍ୱ ତୁ

 

ଆଉ କି ଆଶେ,

ରହିଅଛି ଏ ପର-

 

ଭୁଇଁ ପ୍ରବାସେ ।

ନାହିଁ ତ ହାତେ କଡ଼େ

 

କାଣି କଉଡ଼ି,

କେହ୍ନେ ବଞ୍ଚିବୁ ଚାଲ

 

ଘରେ ବାହୁଡ଼ି ।୧୩।

 

ପ୍ରଭୁତ୍ୱ, ଭାଗ୍ୟ, ପଦ,

 

ଯଶ, ସମ୍ମାନ,

କେହି ତ ନ ପାରିବେ

 

ରଖି ତୋ ପ୍ରାଣ ।

ଆସିଲା କ୍ଷଣି ତେଣୁ

 

ଶେଷ ଡ଼ାକରା,

କେଣେ ତୁ ଉଡ଼ିଯିବୁ

 

ତେଜି ଏ ଧରା ।୧୪।

 

ବଡ଼ ବିଟୋଳ କାଳ

 

ନ କରେ ତ୍ରାହି,

ତା ପରି ଏକବୁଝା

 

ସୃଷ୍ଟିରେ ନାହିଁ,

ସେ ଆସି ନ ଡାକୁଣୁ

 

ତୁହି ସତ୍ୱର,

ଯାଇ ତା ଦରବାରେ

 

ହୁଅ ହାଜର ।୧୫।

 

ଶାଲ ବନାଇ କେଳେ

 

ରଖିଛୁ ପରା,

ଶେଷେ ତୁ ଘୋଡ଼ିଯିବୁ

 

ଛିଣ୍ଡା କତରା

ରଖିଛୁ ଏତେ ଭୂଇଁ

 

କିପାଁ ଆଗୁଳି,

ଲୋଡ଼ା ତୋ ତିନି ହାତ

 

ବାର ଆଙ୍ଗୁଳି ।୧୭।

 

ମଣ୍ଡିଛୁ ଯେ ଦେହକୁ

 

ରତ୍ନ ପ୍ରବାଳେ,

ଖାଇବେ ଟାଣି ତାକୁ

 

ଶ୍ୱାନ ଶୁଗାଳେ ।

କଣ୍ଟା ବାଜିଲେ ଦେହେଁ

 

ହେଉ ଛାନିଆଁ,

ଶେଷେ ଲାଗିବ ଆହା

 

ସେ ଦେହେଁ ନିଆଁ ।୧୭।

 

ସ୍ୱଜନଙ୍କର ଲୋକ-

 

ଦେଖା ବେଭାର,

ଦେଖି ନାହୁଁ କି କେବେ

 

କାହିଁ କାହାର,

ସନ୍ତୋଷେ ନ ଦିଅନ୍ତି

 

ତୋରାଣି ଟୋପେ,

ମଲେ ବାଢ଼ନ୍ତି ଶ୍ରାଦ୍ଧ

 

ମହା ଆଟୋପେ ।୧୮।

 

ଏ ବିଶ୍ୱ ସିନା ହଟ

 

କୁଟ ସଙ୍କୁଳ,

କାହିଁଛି ଶାନ୍ତି ଏଥି

 

ଆରେ ବାତୁଳ,

ପାଇବୁ ଶାନ୍ତି ଯେବେ

 

ବାଇମନ ରେ,

ଜୀବସେବା ତପସ୍ୟା

 

ଆଚର ଖରେ ।୧୯।

 

କେଡ଼େ ମହତ ରବି,

 

ଶଶୀ, ପବନ,

ଉତ୍ସର୍ଗିଛନ୍ତି ସେବା-

 

ଯଜ୍ଞେ ଜୀବନ,

ସେବା ମହିମା ଭବେ

 

ମହାବିରାଟ,

ମୁକ୍ତିର ସିନା ତାହା

 

ସହଜ ବାଟ ।୨୦।

 

ପ୍ରବୀଣ ଉପଦେଶ

 

ଶୁଣି ତୁ ପରା,

ହସେ ଉଡ଼ାଉ କରି

 

ଟାହି ଟାପରା,

ସବିଙ୍କି ମିଠା ଲାଗେ

 

ଶର୍କରା ସୀତା,

ସର୍ପ ଘାଉଡ଼ ତୁଣ୍ଡେ

 

ନେଙ୍ଗରା ପିତା ।୨୧।

 

ବେଢ଼ିଆ ଖୁଣ୍ଟ ମୋଟ

 

ଗୋଡ଼ ତୋହର,

ନ ଚାହିଁ ନିଜକୁ କିପାଁ

 

ବୋଲୁ ଗୋଦର,

ନ ଚାହିଁ ନିଜକୁ ତୁ

 

ତିଆରୁ ପରେ,

ଭାଙ୍ଗିଦେବ ମୃତ୍ୟୁ ସେ

 

ବାଲିଙ୍ଗି ଖରେ ।୨୨।

 

ମଙ୍ଗଳ ବାଞ୍ଚୁ ଯେବେ

 

ତେଜି କୁଶିକ୍ଷା,

ସଦ୍‌ଗୁରୁଠାରୁ ଘେନ

 

ଶୁଭ ସୁଦୀକ୍ଷା,

ଚାଲ ତୁ ନିତ୍ୟ ସତ୍ୟ

 

ସରଳ ପଥେ,

ଅନ୍ତିମେ ସ୍ୱର୍ଗେ ଯିବୁ

 

ପୁଷ୍ପକ ରଥେ ।୨୩।

 

ଧର୍ମବଲରେ ଦୃଢ଼େ

 

ଭିଡ଼ିଣ ଅଣ୍ଟା,

ଚାଲିଲେ ଗୋଡ଼େ କେବେ

 

ନ ଭୁକେ କଣ୍ଟା,

ଅସାର ଭବେ ସବୁ

 

ମିଥ୍ୟା ନିକର,

ଧର୍ମ ହିଁ ଏକା ସାର

 

ସତ୍ୟ ସୁନ୍ଦର ।୨୪।

 

କହଇ ଚିନ୍ତାମଣି

 

ରେ ଦୁଷ୍ଟମନ,

ହରିଙ୍କୁ ଚିତ୍ତ ମଧ୍ୟେ

 

କର ଚିନ୍ତନ,

ଜଗନ୍ନାଥ ଚରଣେ

 

ଲଗା ତୁ ଲୟ,

ଜିଣିବୁ ଜରାଇନ,

 

ମରଣ ତ୍ରୟ ।୨୫।

 

ହାଟବାହୁଡ଼ା

ହାଟ ଭାଙ୍ଗିଲାଣି ଉଠ ରେ ବାନ୍ଧି ସଉଦାପାତି

ଚାଣ୍ଡେ ଚାଲ ଘରେ ଆସିବ ମାଡ଼ି ଅନ୍ଧାର ରାତି ।

ସରିନାହିଁ ଯେବେ ସଉଦାତେବେଥାଉରେଥୋଡ଼ା

ଆର ହାଟ ପାଳି ଆସି ତୁ କିଣି ନେବୁ ଯା ଲୋଡ଼ା ।

 

ସାଙ୍ଗ ଛାଡି ଚାଲିଗଲେଣି ସବୁ ହାଟୁଆ ଭାଇ

ଏକୁଟିଆ ତୁହି ପଡ଼ିବୁ କରୁ ମଠ କିପାଇଁ ।

ଡର ଭୟ ତୋର ନାହିଁ କି ଭୂତ ଫିଙ୍ଗିବ ଧୂଳି

କଚାଡି ପଡ଼ିବୁ ତରଛେ ବାଟେ ଖାଇ ହାଉଳି ।

 

ନିଆଁ ପେଡ଼ି ଗୋଟେନେଇଥା ବିକାହେଉଛି ହାଟେ

ସେହି ଦେଖାଇବ ଆଲୁଅ ତୋର ଚାଲିବାବାଟେ

ଯେଉଁ ବାଟେ ଯିବୁ ସେବାଟ ପରା ଚିର ଅନ୍ଧାର

ଚାଲିବୁ କିପରି ଆଲୁଅ ବିନା ମନେ ବିଚାର ।

 

ନଈଟାଏ ପୁଣି କହୁଛି ବାଟେ ଦିକୂଳ ଖାଇ,

ଅଣ୍ଟାରେ ପଇସା ଖୋଷିଥା ଘାଟ ନାଉରିପାଇଁ

ବାଟେ ଚୂଡ଼ାପାଣି କରିବୁ କିଛି ନିଅ ସଙ୍ଗରେ

ପହୁଞ୍ଚିବୁ ଯାଇ ତେବେରେ ସୁଖେ ଆନନ୍ଦେ ଘରେ ।

 

ଶେଷ ଭିକ୍ଷା

ପ୍ରଭୁ ଜଗନ୍ନାଥ            ଦେଖାଅ ସୁପଥ

ହେ ଜଗତ ଅଧିକାରୀ,

ଜଣାଏ ଆରତେ            କେବଣ ଦୁର୍ଭାଗ୍ୟ

ବାଟବଣା ବାଟୁଆରୀ ।

 

ଯିବାକୁ ତ ହେବ            ବହୁଦୁର ବାଟ

ମାତ୍ର ବେଳ ଗଲା ବହି,

ପହୁଞ୍ଚିବି ଯେହ୍ନେ            ସଞ୍ଜ ନ ହେଉଣୁ

ସିଧା ବାଟ ଦିଅ କହି ।

 

ଅନ୍ଧାରେ ଅଣ୍ଡାଳି            ହାବୁଡ଼ି ହାବୁଡ଼ି

ନ ପାରିବି ମୁଁ ତ ଯାଇ,

ଦୟା କରି ହରି            ନେଇ ହାତ ଧରି

ଦିଅ ବେଗେ ପହୁଞ୍ଚାଇ ।

 

କାନ୍ଦିଲାଣି ପ୍ରାଣ            ବିନ୍ଧିଲାଣି କାନ

ଶୁଣି ଶୁଣି ଆଶା-ଭାଷା,

ଜଳ ନୁହେଁ ସେ ତ            ତୁଚ୍ଛା ମୃଗତୃଷ୍ଣା

ନ ମେଣ୍ଟେ ତହିଁ ପିପାସା ।

 

ସେହି ଘରଭାଙ୍ଗୀ            ମୋ ସୁନା ମନକୁ

ନ ଦେଲା କରି ମୋହର,

ତାହା କୁଶିକ୍ଷାରେ            ମୋ ବୋଲ ନ ମାନି

ମନ ମୋତେ କଲା ପର ।

 

ଆଶାକୁ ଘେନି ସେ            ଘର କରୁ ପଛେ

ହେଉ ତାର ଚିର ଦାସ,

ତାହା ସଙ୍ଗେ ବୃଥା            କଳି କରିବାକୁ

ନାହିଁ ମୋର ଅବକାଶ ।

 

ଭାଳୁଣି କିପାଇଁ            ତାହା ଲାଗି ମୋର

ମରୁ ସେ ପରବୁଦ୍ଧିଆ,

ଦୟା କରି ମୋତେ            ଘେନି ଯାଅ ପ୍ରଭୁ

ହେଉଛି ପ୍ରାଣ ଛାନିଆ ।

 

ଆଡ଼ମ୍ବରଶୂନ୍ୟ            ଏ ଭିକ୍ଷାରେ ନାହିଁ

କବିତା-କଳା-କୌଶଳ,

ନାହିଁ ବନକବି            କୋକିଳର ଏଥି

ସଙ୍ଗୀତ ତାନ ତରଳ ।

 

କିମ୍ବା ନାହିଁ ପୁଣି            କୁସୁମ-ରସିକ

ଭ୍ରମର ବୀଣା-ଝଙ୍କାର,

ଅବା କମଳର            ସୁରଭି ସମ୍ଭାର

ଲଳିତ ଲାବଣ୍ୟ ସାର ।

 

ମାତୃଭାଷାରେ ମୁଁ            ଜଣାଉଛି ପ୍ରଭୁ

ପ୍ରାଣର ବେଦନାରାଶି,

ମାତୃଭାଷା ବିନା            ଅନ୍ତରର ବ୍ୟଥା

କାହିଁ ରେ ନୁହେଁ ପ୍ରକାଶି ।

 

ଗୀତ ନୁହେଁ ଏହା            କାନ୍ଦଣା ମୋହର

କାନ୍ଦୁଛି ଜୀବନ ସାରା,

କାନ୍ଦଣା ଭିତରେ            ଥାଏ ନାହିଁ ପ୍ରଭୁ

ଛନ୍ଦ ଅଳଙ୍କାର ଧାରା ।

 

ଦିଅ କୃପାବିନ୍ଦୁ            ସେହି ସିନା ହରି

ହେବ ମୋ ପଥସଙ୍ଖାଳି,

ନ ପାଇବା ଯାଏଁ            କରୁଥିବି ଅଳି

ଦିଅ ପଛେ ଚଳି ଗାଳି ।

 

ନ ଆଉ ପଛେ ସେ            କୃପା-ଘନେ ଜଳ

ଥିବ ତ ବିଜୁଳି-ନାଟ,

ସେହି ଆଲୁଅରେ            ଦେଖି ପାରିବି ମୁଁ

ନିଶ୍ଚେ ଜଳାଶୟ ବାଟ ।

 

ତେତିକି ମୋହର            ଲୋଡ଼ା ସିନା ପ୍ରଭୁ

ଜୀବନେ ପରମ ଲାଭ,

ତେତିକି ମିଳିଲେ            ଆଉ କିଛି କେବେ

ନ ମାଗିବି ପଦ୍ମନାଭ ।

 

ସାତ ଥର ସତ୍ୟ            କରି ମହାପ୍ରଭୁ

କହୁଛି ପକାଇ ରାଣ,

ନିଜ କୃତ ପଣ            ନ ଭାଙ୍ଗିବି କେବେ

ଥିବାଯାଏ ପିଣ୍ଡେ ପ୍ରାଣ ।

 

ତୁମ୍ଭ କୃପା ବିନା            ଅନ୍ୟ ଅଭାବକୁ

ନ ଗଣେ ମୁଁ କଡ଼ାକର,

ଅଭାବ ଛାରକୁ            ଡରିବି କିପାଇଁ

ହୋଇ ତ୍ୟାଗୀ ବଂଶଧର ।

 

ଶେଷ ଯାତ୍ରା କଥା            ଭାବିଲେ ସଭୟେ

ନେତ୍ରେ ଦିଶେ ଅନ୍ଧକାର,

ମନ ମଧ୍ୟୁ ପୁଣି            ବିରାଟ ଶୂନ୍ୟତା

କରି ଉଠେ ହାହାକାର ।

 

ବିନୟେ ମାଗୁଛି            ଶେଷ ଭିକ୍ଷା ତେଣୁ

ପ୍ରଭୁ ତୁମ୍ଭ ପାଦ ଧରି,

ଏଣେ ଜଳି ପୋଡ଼ି            ଯାଉଛି ଯେପରି

ନ ଘଟୁ ତେଣେ ସେପରି ।

 

 

ଷଡ଼ରଥୀ ସମର

ଦେଖ ଦେଖ ପ୍ରଭୁ            ଦଣ୍ଡୁଛନ୍ତି ମୋତେ

ଷଡ଼ରଥୀ ହୋଇ ରୁଣ୍ଡ,

ତୁମ୍ଭପରି ପିତା            ଥାଉଁ ମୁଁ ହେଲି ଯା

ନିରେଖ ପିତୃ-ଛେଉଣ୍ଡ ।

 

ଭିକ୍ଷୁକ ନୁହେଁ ମୁଁ            ତୁମ୍ଭରି ସନ୍ତାନ

ତୁମ୍ଭେ ବିଶ୍ୱ ଦଣ୍ଡଧାରୀ,

ସଂସାର-ସମ୍ରାଟ            ଯା ପିତା, ତା ପୁତ୍ର

ହେବ ବା କିପାଁ ଭିଖାରୀ ?

 

ଚିର ନିର୍ମଳର            ଦୁଲାଳ ସିନା ମୁଁ

ମଳିନ ନୁହେଁ ମୋ ତନୁ,

ଅମୃତରୁ ଜନ୍ମି            ପାସୋରିଛି ମୁହିଁ

ମୃତ୍ୟୁ, ଚିନ୍ତା, ଦକ ମନୁ ।

 

ଦମ୍ଭ କରି ମୁହିଁ            କହୁଛି ନିକର

ନାହିଁ ମୋ ଦେହରେ ପାପ,

ହେବ କି ପାପୀ ସେ      ଜଗତର ପାପ

ହରୁଅଛି ଯାର ବାପ ।

 

ଲକ୍ଷ୍ମୀ ଠାକୁରାଣୀ            ନିଜେ ମୋ ଜନନୀ

ରତ୍ନାକର ବୃଦ୍ଧ ଅଯା,
ରଜନୀ-ଭୂଷଣ            ମୂକୂଦିନୀ-ଧନ-

ଚନ୍ଦ୍ରର ମୁହିଁ ଭଣଜା ।

 

ଇତର ନୁହେଁ ମୁ            ଛାର ଭଗାରୀଏ

କରନ୍ତି ତେବେ କଟାଳ,

ଏଥୁ ବଳି ଆଉ            ଆଶ୍ଚର୍ଯ୍ୟ କି ଅଛି

ଏ ତ ବିଷମ ଜଞ୍ଜାଳ ।

 

ଚଉପାଶୁଁ ଘେରି            ଟାଣୁଛନ୍ତି ମୋତେ

ସେ ଦୁର୍ଦ୍ଦାନ୍ତ ମହାବୀରେ,

ସେ ଟଣା ଝିଙ୍କାରେ            ପ୍ରାଣ ଆସି ମୋର

ହେଲାଣି ନାକଦଣ୍ଡିରେ ।

 

କେଡ଼େ ଚତୁର ସେ            ଛଅଟା ଅସୁର

ମୋ ଦେହରେ କରି ବାସ,

ସେ ଦେହରୁ ପୁଣି            ଅନ୍ତନାଡ଼ ଟାଣି

କରୁଛନ୍ତି ସୁଖେ ଗ୍ରାସ ।

 

ସେ ଦୈତ୍ୟ ଦାଉରୁ            ଉଦ୍ଧାର ଦୈତ୍ୟାରି

ନ କରି ମୁଁ ଦୁଃଖ ଭୋଗ,

ବସୁଁ ବସୁଁ ଉଠି            ଚାଲିଯିବି ଯେହ୍ନେ

ଘଟାଅ ଏହି ସୁଯୋଗ ।

 

ଅଥବା ଦିଅ ହେ            ଉପଯୁକ୍ତ ଶକ୍ତି

କରିବି ତାଙ୍କୁ ଦଣ୍ଡିତ,

ଘୋଷୁଥିବି ତୁମ୍ଭ            ମହିମା ସପ୍ରେମେ

ଜୟଶ୍ରୀ ହୋଇ ମଣ୍ଡିତ ।

 

 

ଏକମେବାଦ୍ୱିତୀୟଂ

ସବୁ ଛାଡ଼ି ଦୃଢ଼େ            ତୁମ୍ଭଙ୍କୁ ଧରିଛି

ମହତ ଆଶ୍ରୟ ମଣି,

ପେଲିଦିଅ ନାହିଁ            ପାଦତଳୁ ମୋତେ

ପ୍ରଭୁ ସୁଦର୍ଶନ-ପାଣି ।

 

ଜୀବନର ବ୍ରତ            ବାଛି ନେଇଛି ମୁଁ

ଏକାଦେବା ଏକସେବା,

ଦେବସ୍ରଷ୍ଟା ତୁମ୍ଭେ,            ତୁମ୍ଭଠାରୁ ବଳି

ଦେବତା କାହିଁଛି କେବା ?

 

ଥିଲେ ଥାନ୍ତୁ ତାଙ୍କୁ            ପୂଜିବି ନାହିଁ ମୁଁ

ଚିରକାଳ ଏକବୁଝା,

ବଡ଼ ଲୋକ ଆଶ୍ରା            ନେଇ କିପାଁ ପୁଣି

କରିବି ଇତର ପୂଜା ।

 

ତୀର୍ଥ ଖୋଜି ଅବା            ବୁଲିବି କାହିଁକି

ଖରା, ବର୍ଷା, ଶୀତ ସହି,

ସକଳ ତୀର୍ଥ ତ            ତୁମ୍ଭ ପାଦତଳେ

ଖଟିଛନ୍ତି ସଦା ରହି ।

 

ବ୍ରତ ଉପବାସ            ଆଚରିବି ନାହିଁ

ଆତ୍ମାକୁ ଦେଇ କଷଣ,

ତୁମ୍ଭେ ପରା ପ୍ରଭୁ            ସକଳ ବ୍ରତର

ଅଟ ହେ ସୂକ୍ଷ୍ମ ଜୀବନ ।

 

ଗୁରୁ ଉପଦେଶ            କି ଲୋଡ଼ା, ତୁମ୍ଭେ ତ

ଗୁରୁର ପରମ ଗୁରୁ,

ଆନ ମହାଗୁରୁ            ପାଖ ନ ପଶିବି

ଜୁହାରିବି ରହି ଦୁରୁ ।

 

ବିଶ୍ୱପ୍ରାଣ ତୁମ୍ଭେ            ତୁମ୍ଭଙ୍କୁ ସେବିଲେ

ହେଲା ସେବା ଜଗତର,

ଜନସେବା ବୋଲି            ସ୍ୱତନ୍ତ୍ର କଥାଏ

ନ ଜାଣେ ମୁହିଁ ଆବର ।

 

ଦାନରେ କି ଫଳ,            କିସ ଅଛି ଅବା

କରିବି ତାହାକୁ ଦାନ,

ମୋର ବୋଲି ଯାକୁ            କହେ ତାହା ସବୁ

ତୁମ୍ଭର ତ ଭଗବାନ ।

 

ଅଧିକ କି ଯଜ୍ଞ            ଆଚରିବି ହରି

ତୁମ୍ଭେ ପରା ଯଜ୍ଞେଶ୍ୱର,

କୋଟି ଯଜ୍ଞ ଫଳ            ମିଳେ ସିନା ପ୍ରଭୁ

ପୂଜିଲେ ତୁମ୍ଭ ପୟର ।

 

ସବୁ ଛାଡ଼ି ତୁମ୍ଭ            ପାଦ ଆଶ୍ରାକରି

ପଡ଼ିଛି ମୁଁ ଦୀନହୀନ,

ନାହିଁ ତ ହେ ଆଉ            ଅଧିକ ବିଳମ୍ବ

ଭେଟିବାକୁ ଶେଷ ଦିନ ।

 

ଖାଲି ଆସିଥିଲି            ଖାଲି ହାତେ ଯିବି

ନେବି ନାହିଁ କିଛି ଠୁଳେ,

କେବଳ ତୁମ୍ଭରି            ମହାପୂଜା ପାଇଁ

ନେବି ମୁଁ ଫୁଲ ଆଞ୍ଜୁଳେ ।

 

ତେଣୁ କିଛି ଆଣି            ହେଇ ନାହିଁ ଏଣେ

କାହିଁକି ବା ନେବି ଏଣୁ,

ଧନମାନ କଥା            ପଚାରୁଛି କିଏ

ନ ନେବି କଣିକେ ରେଣୁ ।

 

ତୁମ୍ଭରି ଫୁଲ ସେ            ମୋର ନୁହେଁ, ତହିଁ

ପୁଜିବି ତୁମ୍ଭରି ପାଦ,

ତୋଳିନେବା ମୁଲ            ଗଣ୍ଡାକ ପାଇଲେ

ପୁରିବି ମୋ ମନ ଶାଦ ।

 

ତୁମ୍ଭେ ମୋ ଦେବତା            ପିତା ପ୍ରାଣଗୁରୁ

ତୁମ୍ଭେ ଚିରବରଣୀୟ,

ତୁମ୍ଭ ବିନା ବିଶ୍ୱେ            ନାହିଁ କିଛି ଆଉ

ତୁମ୍ଭେ ଏକ ଅଦ୍ୱିତୀୟ ।

 

ଉପସଂହାର

ଠିଆ ହୁଅ-ଦଣ୍ଡେ ମନ ରେ ତୋତେ ପଚାରେଁ କଥେ

ଜନ୍ମ ହେଲା ବେଳୁ ଚାଲିଛୁ ତୁ ତ ଶ୍ମଶାନ ପଥେ ।

ସରି ଆସିଲାଣି ସେ ବାଟ ଆଉ ଅଛି ଅଳପ,

କେତେକ୍ଷଣ ପାଇଁ ରଚିବୁ ଆଉ ଗାଲଗଳପ ।

 

କେତେକ୍ଷଣ ଆଉ ନାଚିବୁ ତୁଚ୍ଛା ଖେମଟା ନାଟ,

କେତେକ୍ଷଣ ଅବା କରିବୁ ବିନା ସୁତାରେ ହାଟ ।

ଚିର ବାଟୁଆରୀ ତୁ ପରା ଆଚ୍ଛା କହିଲୁ ଭଲା,

ବାଟ ଚାଲୁ ଚାଲୁ ଫାନ୍ଧିବୁ କେତେ ମାଲିମାମଲା ।

 

ମହା ଦରବାର କଥା କି ମୂଢ଼ ଦେଲୁ ପାସୋରି,

ଆସି ତହୁଁ ଯୋଡ଼ା ପିଆଦା ଗଳେ ବାନ୍ଧିବେ ଡୋରି ।

ଶୁଣିବେ ନାହିଁ ତୋ କାକୁତି ସେହି ମହାନିଷ୍ଠୁରେ,

ଭେଟାଇବେ ନେଇତୋତେରେଧର୍ମରାଜାଛାମୁରେ ।

 

ଚିତ୍ରଗୁପ୍ତ ନାମେ ପାଞ୍ଜିଆ ତହିଁ ବସିଣଥିବ,

ମିଛ କହିବାକୁ ତା ଆଗେ ଡରେ ଥରିବ ଜିଭ ।

ଗୋଟି ଗୋଟି କରି କୁକର୍ମ ତୋର ଯିବ ସେ ଗାଇ

ନାହିଁ କରିବାକୁ ସାହସ ତୋର ଖଟିବ ନାହିଁ ।

 

ଦୋଷ ଅପରାଧ ବିଚାରି ରାଜା ବିହିବେ ଦଣ୍ଡ,

ସେ କାଳର କଥା ନ ଭାବୁ କିପାଁ ଆରେ ପାଷଣ୍ଡ ।

ଯାହା କଲୁ କଲୁ ପଛକେ ଏବେ ଛାଡ଼ି କୁକର୍ମ,

କିଛି ହେଲେ ଯିବା ବାଟରେ ଭଲା ଆଚର ଧର୍ମ ।